15/10/2019
***** ନବଧା ଭକ୍ତି ଓ ଓଡିଆ ଅସ୍ମିତା***
ରାଜ୍ୟ ସରକାର, ଓଡିଶା ପ୍ରଦେଶର ସାମଗ୍ରୀକ ବିକାଶ ଦିଗରେ ଅନେକ କାର୍ଯ୍ୟକ୍ରମ କରୁଛନ୍ତି। କେନ୍ଦ୍ର ସରକାର ବି ପ୍ରଚୁର ଅର୍ଥ ଦେଉଛନ୍ତି। ହେଲେ ଦେଶ ସ୍ବାଧୀନ ହେବାର 70 ବର୍ଷ ପରେ'ବି ଆମ ରାଜ୍ୟ ସବୁବେଳେ ପଛୁଆ ରାଜ୍ୟ ଭାବରେ ଗଣା ହେଇ ଆସୁଛି। ଏହା ଉପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମଞ୍ଚରେ ଅନେକ ଆଲୋଚନା ହେଇ କାରଣ ଖୋଜା ଯାଇଛି। କିଏ ରାଜ୍ୟ ସରକାରଙ୍କୁ ଦାୟୀ କରୁଛି ତ କିଏ କେନ୍ଦ୍ର ସରକାରଙ୍କ ବୈମାତ୍ରୁକ ମନୋଭାବକୁ ଦାୟୀ କରୁଛି। କିଏ ବାରମ୍ବାର ହେଉଥିବା ପ୍ରାକୃତିକ ଦୂର୍ବୀପାକ, ତ କିଏ ଜଗନ୍ନାଥଙ୍କ ଇଛାନାହିଁ ବୋଲି କହୁଛି। ତ ଆଉ କିଏ ଓଡିଶାର ଗରୀବି ପାଇଁ ଖାସ୍ ଓଡିଆ ଲୋକଙ୍କ କୋଢିଆମି କୁ ଦାୟୀ କରେ।
ମୁଁ ମଧ୍ୟ ଏ ବିଷୟରେ ଭାବିଲି। ଇତିହାସ ପଢି ବୁଝିଲି ଯେ ଓଡିଶା କେବେଠୁ ଗରୀବ ? ଓଡିଆଙ୍କର ଏ ଗରୀବି ପୂର୍ବରୁ କଣ ଏମାନେ ଧନୀ ଥିଲେ ? ୟାଙ୍କୁ ଗରୀବ କରିଦେଲା କିଏ? ସେ କଣ ପାଇଁ ଏମିତି କଲା? ଲୋକେ ତାକୁ ଚିହ୍ନିଲେଣି କି ନାହିଁ ??
ଶେଷରେ ମୁଁ ଏଇ ନୀର୍ଯ୍ୟାସରେ ପହଞ୍ଚିଲି ଯେ; ଏ ଗରୀବି ପାଇଁ କେଉଁ ସରକାର ଅବା ଲୋକମାନେ ନୁହନ୍ତି, ବରଂ ଜଣେ ବଙ୍ଗଳା ଆଧ୍ୟାତ୍ମବାଦୀ କୃଷ୍ଣ ଭକ୍ତ ଦାୟୀ ଯିଏ ଓଡିଶା ତଥା ପୁରା ଦେଶରେ ଶ୍ରୀ ଚୈତନ୍ୟ ବା ନିତାଇ ବା ଗୌରାଙ୍ଗ ମହାପ୍ରଭୁ ନାଁ ରେ ପ୍ରସିଦ୍ଧ !!!
- ମଗଧ ସମ୍ରାଟ ଅଶୋକ ଖ୍ରୀ.ପୂ. 261 ରେ କଳିଙ୍ଗ ଆକ୍ରମଣ କରିଥିଲେ ଓ ସେ ସମୟରେ କଳିଙ୍ଗର ବୀର ଯୋଦ୍ଧା ମାନେ ପ୍ରବଳ ପରାକ୍ରମ ସହିତ ତାହାର ସାମନା କରିଥିଲେ। କଳିଙ୍ଗର ବୀର ସୈନୀକ ମାନଙ୍କର କଳିଙ୍ଗଯୁଦ୍ଧରେ ସାହାସିକତା ଓ ପରାକ୍ରମ, ବିଶ୍ବ ଇତିହାସରେ ଏକ ଗରିମାମୟ ଅଧ୍ୟାୟ !!! ହେଲେ ଚୈତନ୍ୟଙ୍କର ଉତ୍କଳ ଆଗମନ ପରେ ଓଡିଆଙ୍କର ଅବସ୍ତା ଏମିତି ହେଲା ଯେ ସ୍ବୟଂ ନିଜର ଇଷ୍ଟ ଦେବତା ଜଗନ୍ନାଥଙ୍କୁ ବୈଦେଶୀକ ଆକ୍ରମଣରୁ ବଞ୍ଚେଇବାପାଇଁ 21 ଥର ପାତାଳୀ କରିବାକୁ ପଡିଲା। ଏହା ବଡ ଲଜ୍ୟାର ବିଷୟ ନୁହେଁ କି ?
- ଇତିହାସ କହୁଛି ଯେ ଉତ୍କଳ ରାଜ୍ୟ ଉତ୍ତରରେ ଗଙ୍ଗାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଲମ୍ବିଥିଲା। ହେଲେ ଶ୍ରୀ ଚୈତନ୍ୟଙ୍କ ଭକ୍ତୀ ମାର୍ଗର ପ୍ରଚାର'ର ଠିକ୍ ପରେ ଗଜପତି ପ୍ରତାପରୁଦ୍ର ଦେବ, ନିଜର ବୀରତ୍ବ ହଜାଇ ବସିଲେ। ଦୀର୍ଘ 600 ବର୍ଷର ଗରୀମାମୟ ଇତିହାସକୁ ମାଟିରେ ମିଶେଇଦେଲେ। ତାଙ୍କର ଭକ୍ତିମାର୍ଗରେ ଉତ୍କଳ ଖଣ୍ଡ-ଖଣ୍ଡ ହୋଇ ତିନି ଭାଗରୁ ଭାଗେ ରହିଲା।
- ଉତ୍କଳର ଅନେକ ନୌ-ବାଣିଜ୍ୟିକ ମାନେ ବୋଇତ ନେଇ ସମୁଦ୍ର ମାର୍ଗରେ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିବାର ପ୍ରମାଣ ଇତିହାସରେ ଅଛି। ସେମାନେ ବିଦେଶରେ ବେପାରକରି ଅଜସ୍ର ଧନ ସମ୍ପତି ବୋହି ନିଜ ରାଜ୍ୟକୁ ଆଣୁଥିଲେ। ସମଗ୍ର ଉତ୍କଳ ପ୍ରଦେଶ ଧନ ଧାନ୍ୟରେ ବିମଣ୍ଡିତ ଥିଲା। ହେଲେ ସେଇ ଇତିହାସ କହୁଛି ଯେ, ଶ୍ରୀ ଚୈତନ୍ୟଙ୍କର ଓଡିଶା ଆଗମନ ପରେ ଏ ନୌବାଣିଜ୍ୟର ପରମ୍ପରା ବନ୍ଦ ହୋଇଗଲା। ଏବେ ତ ଓଡିଶାର ଅବସ୍ଥା ଏମିତି ଯେ ବାଣିଜ୍ୟ ତ ଦୂରର କଥା, ଓଡିଶାର ଅନେକ ଲୋକ ଦାଦନ ଖଟିବାକୁ ନିଜ ଇଛା ବିରୁଧରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି।
- ଜଗନ୍ନାଥ ମନ୍ଦିର ମାଦଳା ପାଞ୍ଜୀ ଅନୁଯାୟୀ, ଗଜପତି ପରମ୍ପରା'ର ଚାରିଜଣ ରାଜା (ବୀରକିଶୋର ଦେବ, ପୁରୁଷୋତ୍ତମ ଦେବ, ଦିବ୍ୟସିଂହ ଦେବ ଓ ମୁକୁନ୍ଦ ଦେବ) ମୋଟ 38 ରାଜ୍ୟ ଜୟକରି ନିଜକୁ ଚକ୍ରବର୍ତ୍ତୀ ସମ୍ରାଟ ଘୋଷଣା କରିଥିଲେ। ହେଲେ ଗଜପତି ପ୍ରତାପରୁଦ୍ର ଦେବ 1500 ମସିହା ପରେ ଚୈତନ୍ୟଙ୍କର ଭକ୍ତିମାର୍ଗରେ ଏତେ ବିଭୋର ହେଇଗଲେ ଯେ, ସେ ଗୋଟିଏ ବି ଯୁଦ୍ଧ ଜୟ କରିପାରିଲେନି। ସେଇ ପ୍ରତାପରୁଦ୍ର ଦେବ ଚୈତନ୍ୟ ଆଗମନ ପୂର୍ବରୁ ଯେତେ ବି ଯୁଦ୍ଧ କରିଥିଲେ, ପ୍ରାୟ ସମସ୍ତ ଯୁଦ୍ଧ ଜୟ କରିଥିଲେ। ଅବସ୍ଥା ଏମିତି ହେଲା ଯେ, ତାଙ୍କପରେ ଯେତେବି ଗଜପତି ଆସିଲେ ସେମାନେ ସ୍ବାଭାବୀକ୍ ଭାବେ ଯୁଦ୍ଧରେ ପରାସ୍ତ ହୋଇ ପରାଧୀନ ହେଲେ।
- କଳିଙ୍ଗର କୃଷକମାନେ ବହୁ ପରିଶ୍ରମୀ ଥିଲେ। କୃଷକମାନେ ଏଠାରେ ଉନ୍ନତ ମାନର ଆଖୁ, କଖାରୁ, ରେଶମ, ଲାଖ, ଆଦି ଉତ୍ପାଦନ କରୁଥିଲେ ଯାହାର ଚାହିଦା ବିଦେଶରେ ବହୁତଥିଲା। ବିଡମ୍ବନାର ବିଷୟ, ଶ୍ରୀ ଚୈତନ୍ୟଙ୍କର ଭକ୍ତିରସର ପ୍ରଭାବରେ ବିଭୋର ଓଡିଆ ଚଷାଭାଇ ପରିଶ୍ରମ କରିବାକୁ ଡରିଲେ। ଗୋଟେ ପରେ ଗୋଟେ ମରୁଡି ଓ ଅନାହାର'ର ଶୀକାର ହେଲେ ସିନା; ଅଣ୍ଟା ସଳଖି ଠିଆ ହେବାକୁ ସାହାସ କଲେନି। ଏମିତି ଅବସ୍ଥା ହେଲା ଯେ 1866 ଦୂର୍ଭିକ୍ଷରେ ନିଜକୁ ସ୍ବାଭିମାନୀ ବୋଲାଉଥିବା ଓଡିଆ; ରାଣୀ ସୂର୍ଯ୍ୟମଣି ପାଟ୍ଟମହାଦେଇ ଓ ବ୍ରିଟୀଶ୍ ଦ୍ବାରା ଖୋଲାଯାଇଥିବା ଅନ୍ନଛତ୍ରରେ ଖାଇବାକୁ ବି ପଛେଇଲେ ନି।
- ଗଜପତି ପୁରୁଷୋତ୍ତମ ଦେବ, 16 ଟା ହାତୀର ପିଠିରେ ସୁନା ଅଳଙ୍କାର ବୋହିଆଣିଥିଲେ, ଆଉ ଜଗନ୍ନାଥଙ୍କର ବଡଚଢାଉ ବେଶ କରିଥିଲେ। ହେଲେ ବଡ ଠାକୁରର ବଡଲୋକୀ ବୋଲାଉଥିବା ଓଡିଆଙ୍କର ବଡପଣିଆ ଆଉ ରହିଲାନି ଚୈତନ୍ୟଙ୍କର ଉତ୍କଳରେ ପାଦ ଦେଲାପରେ।
ତେବେ ଏଠି ମନକୁ ପ୍ରଶ୍ନ ଆସେ ଯେ, ଶ୍ରୀ ଚୈତନ୍ୟଙ୍କର ଭକ୍ତି ରସରେ ଏମିତି କି ମାଦକତା ଥିଲା ଯେ, ଗୋଟେ ଜାତି ଏହାର ମଦିରା ପାନକରି ନିଜକୁ ନିଜେ ବରବାଦ କରିଦେଲେ ? ଗୋଟେ ଗରୀମା ଓ ଗୌରବମୟ ରାଜ୍ୟକୁ ତଳିତଳାନ୍ତ କରିବାକୁ #ଭକ୍ତି_ମାର୍ଗ ବା #ନବଧା_ଭକ୍ତି ରେ କି ସୂତ୍ର ଓ ସୋପାନ ରହିଥିଲା ??
ଶ୍ରୀ ଚୈତନ୍ୟ 1510 ମସିହାରେ ଓଡିଶା ଆସି 1533 ପର୍ଯ୍ୟନ୍ତ ପୁରୀରେ ରହି ତାଙ୍କର ନିଜ ପ୍ରଦର୍ଶୀତ ଭକ୍ତୀମାର୍ଗର ପ୍ରଚାର କଲେ। ଏହାର ପ୍ରଭାବ ଏତେ ବ୍ୟାପକ ଥିଲାଯେ, ଏହି ପ୍ରଥାରେ ଓଡିଶାର ସାହିତ୍ୟ, ସଂସ୍କୃତି ଓ ସାମାଜିକତା ସଂମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେଲା ଓ ଓଡିଶା ଇତିହାସ କଡ ଲେଉଟାଇଲା। ଏହାର ମାନେ ନୁହେଁ ଯେ ତା ପୂର୍ବରୁ ଓଡିଆଙ୍କର ଧାର୍ମୀୟ ଭାବନା ନ'ଥିଲା। ଚୈତନ୍ୟଙ୍କ ପୂର୍ବରୁ ମଧ୍ୟ ଓଡିଆ ମାନେ ହିନ୍ଦୁ ଆଧ୍ୟାତ୍ମୀକ ଭାବନାରେ ବଞ୍ଚିଥିଲେ। ତେବେ ଏହା ବୈଦୀକ କର୍ମକାଣ୍ଡ ଉପରେ ପ୍ରତିଷ୍ଠିତ ଥିଲା।
ଲୋକେ ବେଦର ନୀୟମ ଅନୁଯାୟୀ ପୂଜାପାଠ କରୁଥିଲେ। ଈଶ୍ବର ସମ୍ପୂର୍ଣ୍ଣ ମନ ଓ ବିଶ୍ବାସ ର ବିଷୟ ବସ୍ତୁ ଥିଲେ ଓ ତାଙ୍କର ପରିସୀମା ପୂଜାଘର ମଧ୍ୟରେ ସିମିତ ଥିଲା। ସାଧାରଣ ଲୋକେ କର୍ମବାଦୀ ଥିଲେ। ଈଶ୍ବର ତତ୍ତ୍ବ ସାମହୀକ ସମାରୋହ ଭିତରକୁ ଆସି ନ'ଥିଲା।
ଚୈତନ୍ୟଙ୍କର ଆଗମନ ପୂର୍ବରୁ ପ୍ରବଳ ଜାତିପ୍ରଥାର ପ୍ରଚଳନ ଥିଲା। ସୁଦ୍ର ସମ୍ପ୍ରଦାୟଙ୍କୁ ପୂଜାପାଠ ବାରଣ ଥିଲା। ତେଣୁ ସେମାନେ ପରିଶ୍ରମୀ ଥିଲେ। ସଂସ୍କୃତ ଆବୃତି ଓ ପୂଜାପାଠର ବିଦ୍ଧି ବିଧାନ କେବଳ ବ୍ରାହ୍ମଣ ମାନଙ୍କ ମଧ୍ୟରେ ସିମିତ ଥିଲା। ଲୋକେ ମନ୍ଦିର ଅପେକ୍ଷା ପୂଜାଘରକୁ ଅଧିକ ଗୂରୁତ୍ବ ଦେଉଥିଲେ। ରଥଯାତ୍ରାରେ ଏତେ ପରିମାଣରେ ଭକ୍ତ ସମାଗମ ହେଉ ନ'ଥିଲା। ତେଣୁ ହାତୀ ଓ କଳା ବେଠିଆ ଲଗେଇ ରଥ ଟଣାହେଉଥିଲା ବୋଲି ପ୍ରମାଣ ମିଳେ ।
- ଚୈତନ୍ୟଙ୍କର ପ୍ରରୋଚନାରେ ଉତ୍କଳର ଗାଁ ଗାଁ ରେ ଭାଗବତ ଟୁଙ୍ଗୀ ଗଢାଗଲା, ଯେଉଁଠି ଭାଗବତ ପାଠ ଓ ଶ୍ରବଣ ସମବେତ ଭାବରେ କରାଗଲା। ଲୋକମାନେ ସନ୍ଧ୍ୟାହେଲେ ଏକାଠି ହୋଇ ଭାବଗତ ଚର୍ଚ୍ଚା କଲେ।
- ନିଜେ ଗୌରାଙ୍ଗ ହିଁ ନଗର କୀର୍ତ୍ତନ ଆରମ୍ଭ କରିଥିଲେ, ଯେଉଁଥିରେ ସେ ନିଜର ସହଚରଙ୍କ ସହିତ ବୁଲିବୁଲି କୀର୍ତ୍ତନ କରିଲେ। କ୍ରମଶଃ ଏହାର ବ୍ୟାପକ ରୂପ ବହୁ ଯାଗାରେ ଦେଖିବାକୁ ମିଳିଲା।
- ଅଷ୍ଟପ୍ରହର ନାମ ଜଜ୍ଞ ତଥା `ହରେ କୃଷ୍ଣ ହରେ ରାମ' ଭଜନ ପରମ୍ପରା ଗୌରାଙ୍ଗଙ୍କର ପ୍ରବର୍ତ୍ତନାରେହିଁ ପ୍ରଚଳିତ ହେଲା। ଲୋକ ସମୁଦାୟ ନିଜର କର୍ମ ଛାଡି ନାମ କୀର୍ତ୍ତନରେ ମାତିଲେ।
- ସାମୁହିକ କୀର୍ତ୍ତନ ଓ ତ୍ରୀନାଥ ମେଳା, ଚୈତନ୍ୟଙ୍କ ପୂର୍ବରୁ ପ୍ରଚଳିତ ହେବାର ପ୍ରମାଣ ମୁଁ ଦେଖିନି । ତ୍ରୀନାଥ ମେଳାରେ ଭାଙ୍ଗ ଓ ଗଞ୍ଜେଈର ପ୍ରଚଳନ ବ୍ୟାପକ ରହିଲା ଯାହା ନାମ ଜପନରେ ଅଶେଷ ଉନ୍ମାଦ ଆଣିପାରିଲା।
- ନବଧା ଭକ୍ତିମାର୍ଗର ଏକ ମାର୍ଗ ହେଉଛି ସମ୍ପୂର୍ଣ୍ଣ ସମର୍ପଣ, ଯାହା ଓଡିଆ ଜନ ଜୀବନକୁ ସବୁଠୁ ବେଶି କ୍ଷତିରେ ପହଞ୍ଚାଇଲା। ରାଜ୍ୟବାସୀ ଏମିତି ଏକ ଅପ୍ରମାଣିତ କାଳ୍ପନୀକ ଅତିଭୌତିକ ଶକ୍ତି ଉପରେ ନିଜର ପୌରୁଷତ୍ବ କୁ ସମର୍ପଣ କରିଦେଲେ ଯେ ନିଜର ଗାରିମାମୟ ଇତିହାସ ଭୁଲିଗଲେ।
ଆଧ୍ୟାତ୍ମବାଦକୁ ସହଜ ଓ ସର୍ବବ୍ୟାପୀ କରିଦେଇ, ସେ ସେଇ ଆଧ୍ୟାତ୍ମବାଦ ଭିତରେ ଏମିତି ବିଷ ବୁଣିଲେ ଯେ ଯାହାର ପ୍ରଭାବ ଆଜିବି ଏ ଓଡିଆ ଜାତି ଭୋଗୁଛି।
କୁହାଯାଏ, ଯାହାର ଇତିହାସ ଯେଡେ ଗୌରବମୟ, ସେ ଜାତି ସେତେ ପରାକ୍ରମୀ ଓ ସମୃଦ୍ଧ। ଓଡିଆ ଜାତିର 500 ବର୍ଷ ପୁରୁଣା ଇତିହାସରୁ ସେମିତି ଖାସ୍ କିଛି ଶିକ୍ଷା ମିଳେନି। ବାରମ୍ବାର ଯୁଦ୍ଧରେ ହାରିଲା ପରେବି, ଏମାନେ ନବଧା ଭକ୍ତିରେ ଏତେ ବିଭୋର ଥିଲେଯେ, ସେ ନିଜର ଜାତୀୟ ଦେବତା ଜଗନ୍ନାଥଙ୍କୁ ମଧ୍ୟ ଶତ୍ରୁ ଦାଉରୁ ବଞ୍ଚେଇ ପାରିଲେନି।
ଯେତେବେଳେ ନିଜର ମନ, ପ୍ରାଣ, କର୍ମ ଓ ଶରୀରକୁ ଅନ୍ୟ କାହାପାଖରେ ସମର୍ପୀତ କରିଦିଏ, ସେତେବେଳେ ସେ ତାରି ଉପରେ ଭରସା କରିବସେ। ଦୈବୀଶକ୍ତୀ ଉପରେ ଭରସା କରିବାମାନେ ମଣିଷ ଭାଗ୍ୟବାଦୀ ହେଇଯିବା। ଯେଉଁ ଜାତି ଭାଗ୍ୟବାଦୀ ହେଇଯାଏ, ସେ କର୍ମ-ବିମୁଖ ହେଇଯିବା ତ ସ୍ବାଭାବିକ ।
ଗୋଟେ କର୍ମ କୋଢିଆ ଜାତି କେବେ ସମୃଦ୍ଧିଶାଳୀ ହେଇ ନ'ପାରେ।
ଆଜି ଆପଣ ଯେଉଁ ଗାଁ କୁ ଯାଆନ୍ତୁ ନା କାହିଁକି, ଦେଖିବେ ପ୍ରତି ଗାଁ ରେ ମଠ, ଆଶ୍ରମ, ଭାଗବତ ଟୁଙ୍ଗୀ, ମେଳା ବରଗଛ, ଆଦି ଥିବ ହିଁ ଥିବ। ଏ ସବୁର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୀର୍ତ୍ତନ ହେଉଛି। ମେଳା ଚାଲୁଛି। ପ୍ରବଚନ ଓ ପ୍ରଚକଙ୍କ ସଂଖ୍ୟା ବଢିବାରେ ଲାଗିଛି।
ଏ ସବୁର ପ୍ରଭାବ ସମାଜର ଅବଚେତନ ସ୍ତରରେ ଯେଉଁ କୁପରିଣାମ ଆଣିଛି, ତାହା କେବେ ସମାଜକୁ ଆଗକୁ ନ'ନେଇ ପାରେ। ଜୀବନ ଧାରଣ ପାଇଁ ଯେତେ କମ ପରିଶ୍ରମ କରିବା ଦରକାର, ସେତିକି କରିଦେଇ ଅବଶିଷ୍ଟ ସମୟ ଧ୍ୟାନ ଧାରଣାରେ ବିତେଇ ଦେବାକୁ ଅନେକଙ୍କୁ ସହଜ ହେବ।
ଓଡିଶାର ସାଧାରଣ ଜନତାଙ୍କର " ଅଳ୍ପରେ ସନ୍ତୁଷ୍ଟି" ମାନସିକତା ଅନ୍ୟ ରାଜ୍ୟ ତୁଳନାରେ ବେସ ଅଧିକ। ପରିଶ୍ରମକରି ଉପାର୍ଜନ କରିବା ଯେତେ ସହଜ ନୁହେଁ, ଦୈବ'ର ଭଜନ କୀର୍ତ୍ତନ କରିବା ଆଉ ଆଲୌକୀକତା ହେତୁ ଧନ ସଂପତି ପାଇଯିବା ଟା ସହଜ।
ତେବେ ଏମିତି ହୁଏନା। ପରିଶ୍ରମ କରିବାର ବିକଳ୍ପ ନାହିଁ ।
ଅଷ୍ଟପ୍ରହର ସଙ୍କିର୍ତ୍ତନରେ ହୁଏତ ଆପଣା ମାନସୀକ ଶାନ୍ତି ମିଳିପାରେ। ହେଲେ ଅର୍ଥ ଅଭାବରୁ ପରିବାର ଉଜୁଡିଯାଏ।
ଲୋକମାନେ ଚାନ୍ଦାଭେଦା କରି ଗାଁ ରେ ମନ୍ଦିର ପରେ ମନ୍ଦିର ତିଆରି କରିପାରୁଛନ୍ତି। ହେଲେ ଖଣ୍ଡିଆ ରାସ୍ତାରେ ମାଟି ଝୁଡିଏ ପକାଇବାକୁ କେହି ବାହାରୁ ନାହାନ୍ତି। ନିଜେ ନିଜକୁ ସାହାଯ୍ୟ ନ'କରି ଅନ୍ୟର ସମୃଦ୍ଧିରେ ଅଥୟହେଇ ଆକୁ ତାକୁ ଦାୟି କରିବା ର ମାନସୀକତା କେବଳ କର୍ମକୋଢିଆ ହିଁ କରନ୍ତି।
ଚୈତନ୍ୟଙ୍କର ନବଧା ଭକ୍ତି ଆଉ କେବଳ ଭାରତରେ ସିମୀତ ନାହିଁ। "ISCON" ଦ୍ବାରା କୃଷ୍ଣ ଭକ୍ତି ନାମରେ ଏହା ଅନ୍ୟ ବିକଶିତ ଦେଶ ମାନଙ୍କରେ ବି ବ୍ୟାପିବାରେ ଲାଗିଛି।
ଦେଖିବେ, ଏହାର ବ୍ୟାପକତାରେ କେମିତି ସେମାନେ ତଳିତଳାନ୍ତ ହେଇଯାଉଛନ୍ତି।
----------------------------------------------------------------------------
ଏ ଲେଖାଟି ଆଗରୁ ଓଡିଶା ହେତୁବାଦୀ ସମାଜ ର ଫେସବୁକ ଗୃପରେ ପ୍ରକାଶିତ ହେଇଥିଲା । ଏବେର ଆବଶ୍ୟକାକୁ ନଜରଦେଇ ଆଉଥରେ ଏଠାରେ ପୂନଃ ଆଲେଖ୍ୟ ରହିଲା ।